ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକା ପ୍ରକାଶ ପାଇଛି । ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ସଂପର୍କରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ନୂଆକରି ଯୋଡ଼ି ହୋଇଥିବା ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି। ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟର ହେଲେ ୩୩୮୦ ଜଣ ।
ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ବର୍ଷଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬ ଜଣ । ଯାହାକି ବିଗତ ୫ ବର୍ଷରେ ସର୍ବାଧିକ ବା ୨.୨୭% ଅଟେ । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ । ଅର୍ଥାତ ୧.୩୮% ଅଟେ । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ତଥା ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ, ସେମାନଙ୍କ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮।ଭୋଟର ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮ରୁ ୧୯ ବର୍ଷ ମଧ୍ୟରେ ରହିଛନ୍ତି ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର । ୭ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ତାଲିକାରୁ ବାଦ ପଡିଛନ୍ତି | ଆଜି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।