ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ହେଉ :ମେୟର ସୁଲୋଚନା ଦାସ

ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ । ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି । ତେବେ ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି। ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ। ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଆମେ କହିବାକୁ ଚାହୁଁଛୁ ଯେ, କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ। କିନ୍ତୁ ସୁରକ୍ଷା ଜରୁରୀ।
ସେ ଆହୁରି କହିଥିଲେ, କେହି କୁକୁରଙ୍କୁ ମାରିବାକୁ କହୁ ନାହାନ୍ତି। ଆମେ କେବଳ ସେମାନଙ୍କୁ ମଣିଷଙ୍କଠାରୁ ପୃଥକ କରି ରଖିବାକୁ କହୁଛୁ। ଲୋକମାନେ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଡରୁଛନ୍ତି। ନିୟମ ତିଆରି କରିଦେଲେ କୌଣସି ସମାଧାନ ହେବ ନାହିଁ। ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ। ଯେଉଁମାନେ ଚିକେନ ଖାଉଛନ୍ତି, ସେମାନେ ଏବେ ପଶୁପ୍ରେମୀ ହୋଇଗଲେଣି।ଅନ୍ୟପଟେ ବରିଷ୍ଠ ଆଡଭୋକେଟ କପିଲ ସିବ୍ବଲ କହିଥିଲେ ଯେ, କୋର୍ଟ ନିର୍ଦେଶ ଜାରି କରି କହିଛନ୍ତି ଯେ, କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡ଼ାଯିବ ନାହିଁ। ତା’ହେଲେ ସେମାନେ କୁଆଡ଼େ ଯିବେ ? ଏହା ନିୟମ ବିରୋଧୀ। ଏହା ଉପରେ ରୋକ୍ ଲଗାଯିବା ଦରକାର। ଯେତେବେଳେ ବଡ଼ ସଂଖ୍ୟାରେ କୁକୁରଙ୍କୁ ଗୋଟିଏ ଆଶ୍ରୟ ସ୍ଥଳରେ ରଖାଯିବ ସେତେବେଳେ ସେମାନେ ପରସ୍ପରଙ୍କୁ କାମୁଡ଼ିବେ। ଏହାଦ୍ଵାରା ମଣିଷ ବି ପ୍ରଭାବିତ ହେବେ।ତେବେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି।

ଅଧିକ ପଢନ୍ତୁ