ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡ଼ି ଆଉ ଶିକାରେ ଲହୁଣୀ ଧରି ବେଶ ହେବେ କଳା ଗୋରା ଦୁଇ ଠାକୁର ।ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ସ୍ମରଣ କରି ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ ।ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯିବ ।କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ୱର୍ଣ୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ ଗାଈ ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ । ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ (ଗଉଡ଼) ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି । ବେଶରେ ଠାକୁରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ ।
