ନୂଆଦିଲ୍ଲୀରେ ନିର୍ମାଣ ହେବ ଓଡ଼ିଶା ଭବନ, ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ। ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୪,୭୬୧ ବର୍ଗ ମିଟର ପରିମିତ ଅଞ୍ଚଳରେ ଏହି G+୬ ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍‌ ଉପଲବ୍ଧ ହେବ। ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସେହିଭଳି ମୁମ୍ବାଇକୁ ଓଡିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା ହେବ । ଏଥି ସହିତ ଓଡିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଭକ୍ତ ଓ ଦର୍ଶାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

ଅଧିକ ପଢନ୍ତୁ