ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ|ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ତାଙ୍କ ପଛକୁ ରହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏଡିଆର୍ ରିପୋର୍ଟ ଅନୁସାରେ ଓମାରଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ସେ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ସବୁଠୁ ଧନୀ । ତାଙ୍କ ପାଖରେ ମୋଟ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପଛକୁ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରହିଛନ୍ତି । ଅରୁଣାଚଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ତେବେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋଟ ୧୬୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ତେବେ ଦେଶର ତୃତୀୟ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ତାଙ୍କ ପାଖରେ ୧ କୋଟି ଟଙ୍କାରୁ ଅଧିକ ରହିଛି। ମୁଖ୍ୟମନ୍ତ୍ରୀମାନେ ଗତ ବିଧାନସଭା ନିର୍ବାଚନ ଲଢ଼ିବା ପୂର୍ବରୁ ଦାଖଲ କରିଥିବା ଶପଥପତ୍ରରେ ଦେଇଥିବା ସମ୍ପତ୍ତି ହିସାବରେ ଏଡିଆର୍ ଏହି ରିପୋର୍ଟ ପ୍ରକାଶ କରିଛି।