
ଶରଣକୁଳ,(ଓଡ଼ିଶା ଦର୍ପଣ):ବିଶିଷ୍ଟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଆଲୋଚନା ଚକ୍ର ଜନ୍ମମାଟି ଶରଣକୁଳ ଠାରେ ବୁଧବାର ପବିତ୍ର ଗଣେଶ ପୂଜାରେ ପାଳିତ ହୋଇଯାଇଛି l ସହଯୋଗ ସ୍ବେଛାସେବୀ ସଂଗଠନ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ସ୍ଥାନୀୟ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଶରଣକୁଳ ମହା ବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ମନୋଜିନି ଦଳବେହେରା, ଅବସର ପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ, ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ର, ବେଦଜ୍ଞ କିଶୋର ଚନ୍ଦ୍ର କର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କବି କୁସୁମ ନିରାକାର ସ୍ୱାଇଁ,ନୀଳମାଧଵ ତ୍ରିପାଠୀ, ନଳିନୀ ଦାଶ ପ୍ରମୁଖ ଅତିଥି ରୂପେ ଯୋଗଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ କରିବା ସହିତ ତାଙ୍କର ଜୀବନୀ ଓ ସାରସ୍ୱତ ସୃଷ୍ଟି ଉପରେ ଆଲୋଚନା କରିଥିଲେ l ପଣ୍ଡିତ ବିନାୟକ ମିଶ୍ର ୧୮୯୪ ମସିହାରେ ଶରଣକୁଳ ମାଳିସାହି (ମିଶ୍ରଲେନ )ଠାରେ ଜନ୍ମ ଗ୍ରହଣ କରିଥିଲେ l

କଟକ ନର୍ମାଲ ଟ୍ରେନିଂ ସ୍କୁଲରେ ଉତୀର୍ଣ୍ଣ ହେବାପରେ ୧୯୧୫ ମସିହାରେ ନୀଳଗିରି ସ୍କୁଲ ରେ ଡ୍ରଇଁ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ l ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଓ ସାହିତ୍ୟରେ ଗଭୀର ଜ୍ଞାନ ଯୋଗୁଁ ମାତ୍ର ସପ୍ତମ ଶ୍ରେଣୀ ପାଠପଢିଥିଲେ ମଧ୍ୟ କଲିକତା ବିଶ୍ଵବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ l ସେ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, ଓଡ଼ିଆ ସାହିତ୍ୟ ପ୍ରକାଶ ସହିତ ଇଂରାଜୀ ଭାଷାରେ ତିନୋଟି ପୁସ୍ତକ ରଚନା କରି ଉତ୍କଳ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁନେଇ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ନିବେଦିତା ମୁଖାର୍ଜୀ, ଶତରୂପା ମହାପାତ୍ର ଓ ଯଶସ୍ବିନୀ ଦାଶଙ୍କୁ ପ୍ରସଂଶା ପତ୍ର ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସହଯୋଗ ଓ ପୂଜ୍ୟ ପୂଜା କମିଟିର ସମ୍ପାଦକ ପ୍ରଶାନ୍ତ ଦାଶ ପରିଚାଳନା କରିଥିବା ବେଳେ କମିଟି ସଦସ୍ୟ ଜୟକୃଷ୍ଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l