ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକଙ୍କ ଗାଡି ଧକ୍କାରେ ଜଣେ ୪ ବର୍ଷର ଶିଶୁ ଗୁରୁତର ଭାବେ ଆହାତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନା ମୁତାବକ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ ବେଲକଣା ଛକ ନିକଟରେ ଜଣେ ୪ବର୍ଷର ଶିଶୁ ରାସ୍ତା ପାର ହେବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ସହ ଧକ୍କା ହୋଇଥିଲା। ଫଳରେ ଶିଶୁଟି ଆହତ ହୋଇଥିଲା। ଘଟଣା ପରେ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଲାଗିରହିଥିଲା । ଶିଶୁ ନବୀନ ଜଣେ ଡ୍ରାଇଭରଙ୍କ ପୁଅ ହୋଇଥିବାରୁ ଡ୍ରାଇଭର ସଂଘ ମନ୍ତ୍ରୀଙ୍କ ଗାଡିକୁ ଘେରିଥିଲେ ।
କିଛି ସମୟ ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଗାଡିରେ ଶିଶୁକୁ ଆଣି ଚିକିତ୍ସା କରାଉଛନ୍ତି । ଶିଶୁଟିର ଗୋଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଗୋଡ଼ ବ୍ୟାଣ୍ଡେଜ କରାଯାଇଛି।ବର୍ତ୍ତମାନ ଶିଶୁଟି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି ।ଏହାପରେ ମନ୍ତ୍ରୀ ସାରକା ଆଲୋଚନା କରି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ |