କଟକ ରେଳ ଷ୍ଟେସନରେ ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ । ନିଜ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ଥାନା । ୨ ଜଣଙ୍କୁ ନୋଟିସ୍ ଜାରି କଲା ଜିଆରପି ଥାନା ପୋଲିସ । ରେଳବାଇର ପୂର୍ବତଟ ରେଳବାଇ ୱାର୍କସ ବିଭାଗରସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵରେ ଥିବା ୟୁଆର୍ ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ କରାଯାଇଛି ।ସାତ ଦିନ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏହି ଘଟଣାରେ ୮ ରୁ ଅଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରି ସାରିଛି ଜି ଆର୍ ପି ପୋଲିସ । ଏହି ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ, ଗତ ବୁଧବାର କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଥିଲା। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଥିଲେ। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା।
ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍ଏମ୍ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି।