ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲାଗି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ କ୍ରିକେଟର ମହୋତ୍ସବ।କୋଟି କୋଟି ଟଙ୍କାରେ ଖେଳାଳିଙ୍କ ନିଲାମ, ବିଜ୍ଞାପନ ଓ ପ୍ରସାରଣ ଅଧିକାର ଏହି ଖେଳକୁ ବିଶ୍ୱରେ ଏକ ଅଲଗା ପରିଚୟ ଦେଇଛି। ହେଲେ ଏବେ ଏହି ଭବ୍ୟ ଆୟୋଜନକୁ ଏକ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ଆଇପିଏଲକୁ ୪୦% ଜିଏସଟିରେ ସାମିଲ କରିଦେଇଛନ୍ତି, ଯାହା ଭାରତର ସବୁଠୁ ଉଚ୍ଚତମ କର ହାର।ପୂର୍ବରୁ IPL ଟିକେଟ୍ ଉପରେ 28 ପ୍ରତିଶତ GST ଲାଗୁ ହେଉଥିଲା। ଏବେ IPL ଟିକେଟ୍ ସର୍ବୋଚ୍ଚ ଟିକସ ସ୍ଲାବ୍ (40 ପ୍ରତିଶତ) ରେ ଅନ୍ତର୍ଭୁକ୍ତ ହୋଇଛି, ଯେଉଁଥିରେ କାସିନୋ, ରେସ୍ କ୍ଲବ୍ ଏବଂ ଲଗଜରୀ ଉତ୍ପାଦ ମଧ୍ୟ ଅନ୍ତର୍ଭୁକ୍ତ । ଏହି ନିଷ୍ପତ୍ତି ପରେ, IPL ଟିକେଟ୍ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ।୪୦% ଜିଏସଟି ହାର ଲାଗୁ ହେବା ପରେ ଆୟୋଜକ ଓ ଟିମ୍ ମାଲିକଙ୍କ ଉପରେ ଆର୍ଥିକ ଚାପ ବଢିଯିବ। ପ୍ରଥମରୁ ହିଁ ଖେଳାଳିଙ୍କ ନିଲାମ, ଷ୍ଟାଡିୟମ ଭଡ଼ା, ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନ ସମ୍ପର୍କିତ ଗତିବିଦ୍ଧି ଉପରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, ଏବେ ନୂଆ ଟ୍ୟାକ୍ସ ସ୍ଲାବ କାରଣରୁ ସେମାନଙ୍କ ବ୍ୟୟଭାର ଆହୁରି ବଢିଯିବ। ଏଣୁ ଫ୍ରାଞ୍ଚାଇଜିଙ୍କୁ ହୁଏତ ସେମାନଙ୍କ ସଞ୍ଚାଳନ ଖର୍ଚ୍ଚ କାଟ କରିବାକୁ ପଡିବ ନଚେତ ଦର୍ଶକ ଓ ପ୍ରାୟୋଜକଙ୍କ ଠାରୁ ଅତିରିକ୍ତ ଆୟର ରାସ୍ତା ଖୋଜିବାକୁ ପଡିବ।
