ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ସୂଚନା ଅନୁସାରେ, କିଶୋରନଗର ଥାନା ଅଞ୍ଚଳର ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍ଠାକ୍ରେ ଚାଲିଥିଲା। ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଏପଟେ ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ସ୍ବାମୀ ଜାଣିବା ପରେ ଏହାକୁ ବାରଣ କରିଥିଲେ। କିନ୍ତୁ ମହିଳା କିଛି ଶୁଣି ନ ଥିଲେ। ବରଂ, ପ୍ରେମିକଙ୍କ ସହ ନିୟମିତ ସଂପର୍କରେ ରହିଥିଲେ। ତେବେ କିଛି ଦିନ ପୂର୍ବରୁ ମହିଳା ଓ ତାଙ୍କ ପ୍ରେମିକକୁ ଗୋଟେ ହୋଟେଲ୍ ଭିତରେ ଦେଖିଥିଲେ ସ୍ଵାମୀ। ସେଠୁ ବାହାରି ଘରକୁ ଆସିଥିଲେ ଆଉ ନିଷ୍ପତ୍ତି ନେଇଥିଲେ ଯେ ସେ ଆଉ ସ୍ତ୍ରୀ ସହିତ ରହିବେ ନାହିଁ।ଏହି ପାରିବାରିକ ବିବାଦର ସମାଧାନ ପୋଲିସ କରିବା ପୂର୍ବରୁ ପ୍ରେମିକ ସହ ପତ୍ନୀଙ୍କ ବିବାହ କରାଇ ଦେବାକୁ ରାଜି ହୋଇଥିଲେ। ପରେ ଅନୁଗୋଳ କୋର୍ଟରେ ଏହି ମହିଳା ଓ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଯାଇଛି। ପ୍ରେମିକ ସହ ମହିଳା ତାଙ୍କ ଘରକୁ ଫେରି ଯାଇଥିଲା ବେଳେ ଯୁବକଙ୍କ ପାଖରେ ତାଙ୍କର ଦୁଇ ପିଲା ରହିଛନ୍ତି।
