ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ। ଆସନ୍ତାକାଲି ହୀରାକୁଦରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ ପକ୍ଷୀ ଗଣନା କରିବେ। ୩୩ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ଜଣ ଟିମରେ ସାମିଲ ହୋଇଥିବା ଜଣାଯାଇଛି।ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା ଚାଲିଛି। ହୀରାକୁଦ ଡ୍ୟାମ ନିକଟରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା କରାଯିବ। ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଅନୁସାରେ, ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ, ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଯାହାକି ଗତ ୧୬ ବର୍ଷ ମଧ୍ୟରେ ସର୍ବାଧିକ।ଚଳିତବର୍ଷ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଚିଲିକାରେ ଦେଖାଦେଇଛନ୍ତି ।