ଆସନ୍ତା ୧୩ ତାରିଖ ଯାଏ କାଁ ଭାଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ମୌସୁମୀ ଟ୍ରପ୍ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ଏହି କ୍ରମରେ ସୋମବାର ରାଜ୍ୟର ୪ଟି ଜିଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ମହାନଦୀର ନରାଜଠାରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବା ବେଳେ ଜଳସ୍ତର ୨୫.୯୯ ମିଟର ଥିଲା । ତେବେ ମୁଣ୍ଡଳୀରେ ସେକେଣ୍ଡକୁ ୬ ଲକ୍ଷ ୨୦ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ଏହି ଜଳସ୍ତର କମୁଛି। ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୨୬.୬୨ ଫୁଟ ରହିଛି । ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଗଞ୍ଜାମ ଜିଲାର କିଛି ସ୍ଥାନରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।
