ଏମ୍କେସିଜିରେ ବଡ଼ଡାକ୍ତରଖାନା ଇଏନ୍ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି। ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ନାଟଙ୍ଗା ଗ୍ରାମର କାମରାଜୁ ନାୟକ (୭୦) ଗତ ବୁଧବାର ଦିନ ସକାଳୁ ଦାନ୍ତ ଘଷୁଥିବା ବେଳେ ଅସାବଧାନ ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଏଭଳି କଥାକୁ କେହି ବି ବିଶ୍ବାସ କରିନଥିଲେ। ପରବର୍ତ୍ତୀ ସମୟରେ କାମରାଜୁଙ୍କ ଖାଦ୍ୟ ଖାଇବା ଠାରୁ ଆରମ୍ଭ କରି ଦୈନନ୍ଦିନ କାମରେ ଅନେକ ସମସ୍ୟା ଉପୁଜିବା ପରେ ପରିବାର ଲୋକେ ତାଙ୍କ କଥାକୁ ଗୁରୁତ୍ବ ଦେଇ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ଖାଦ୍ୟ ଖାଇପାରୁନଥିବା ଯୋଗୁଁ ଏକ ସପ୍ତାହ ଧରି ସେ କେବଳ ତରଳ ଖାଦ୍ୟ ଖାଇ ରହୁଥିଲେ। ପରିବାର ଲୋକେ ଭଞ୍ଜନଗର ଡାକ୍ତରଖାନା ଦେଖିବା ପରେ ଏମ୍କେସିଜିର ଇଏନ୍ଟି ବିଭାଗରେ ଭର୍ତ୍ତି କରିଥିଲେ। ତେବେ କିଛି ଆବଶ୍ୟକ ପରୀକ୍ଷା କରାଯାଇଥିଲା। ଖାଦ୍ୟନଳୀରେ ଦାନ୍ତକାଠି ରହିଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଏସୋଫାଗୋସ୍କୋପ୍ ପଦ୍ଧତିରେ ଖାଦ୍ୟନଳୀରେ ଫସିଥିବା ଏହି ଦାନ୍ତକାଠିକୁ ବାହାର ହୋଇଥିଲା । ବର୍ତ୍ତମାନ ରୋଗୀ ସୁସ୍ଥ ରହିଥିବା ଏବଂ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଥିବା ସୂଚନା ମିଳିଛି।
