କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବରେ ଲାଗିଲା ମୋହର। ବୁଧବାର ରାଜ୍ୟ ସରକାର ଭିନ୍ନ ଭିନ୍ନ ୫ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଯେଉଁଥିରେ ରହିଛି ଭୁବନେଶ୍ବର ନ୍ୟୁ ସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ସହ ବିଡିଓ ମାନଙ୍କର କ୍ଷମତା ବୃଦ୍ଧି ଭଳି ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ସୂଚନା ଦେଇଛନ୍ତି।ଓଡ଼ିଶା ରାଜ୍ୟ କ୍ୟାବିନେଟ ଭୁବନେଶ୍ବର ଉନ୍ନୟନ ଯୋଜନା ଅଞ୍ଚଳ (ବିଡିପିଏ) ମଧ୍ୟରେ ଏକ ଆଧୁନିକ ଏବଂ ସମାବେଶୀ ସହରୀ କେନ୍ଦ୍ର ସୃଷ୍ଟି ପାଇଁ ପ୍ରସ୍ତାବିତ ‘ନୂଆ ସହର ଉନ୍ନୟନ’ (ନିୟୁ ସିଟି) ଯୋଜନାକୁ ସାମ୍ବିଧାନିକ ଅନୁମୋଦନ ପ୍ରଦାନ କରିଛି। ଏହି ପ୍ରକଳ୍ପ ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ । ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬′ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ତିଆରି ହେବ । ସେହିଭଳି କ୍ୟାବିନେଟ୍ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ୧୧୮କୋଟି ୯୮ଲକ୍ଷ ଟଙ୍କାରେ ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବାକୁ ମଞ୍ଜୁରୀ ମିଳିଛି।
ସଡ଼କ ଓ ପରିବହନ ବିଭାଗର ପ୍ରସ୍ତାବିତ ମୋଟର ଭେଇକଲ ଆକ୍ଟ ସଂଶୋଧନ ଉପରେ ମୋହର । ଏହାଦ୍ବାରା ଏକକାଳୀନ ଫାଇନ୍ ସେଟଲମେଣ୍ଟ କରାଯାଇପାରିବ । ବିଡିଓମାନଙ୍କର ବିଲ୍ ପାସ୍ କରିବାର ଆର୍ଥିକ କ୍ଷମତା ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା । କନିଷ୍ଠ ଓ ସହକାରୀ ଯନ୍ତ୍ରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ । ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ମଞ୍ଜୁରୀ ପ୍ରଦାନ କରିପାରିବେ । ନିର୍ବାହୀ ଯନ୍ତ୍ରୀ ଓ ଅତିରିକ୍ତ ନିର୍ବାହୀ ଅଧିକାରୀମାନେ ୨୦ଲକ୍ଷରୁ ୧କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ କରିପାରିବେ । ୪ କୋଟି ଟଙ୍କା ଯାଏ ପ୍ରକଳ୍ପ ଅନୁମୋଦନ ଦେଇପାରିବେ ଏସଇ। ୪ କୋଟିରୁ ଅଧିକ ପ୍ରକଳ୍ପ ଦେଇପାରିବେ ମୁଖ୍ୟଯନ୍ତ୍ରୀ।