‘ରାଗିନୀ ଏମଏମଏସ ରିଟର୍ଣ୍ଣସ୍’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ ପାଇଁ ପ୍ରସିଦ୍ଧ କରିଶ୍ମା ଶର୍ମା ନିକଟରେ ଏକ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି। ମୁମ୍ବାଇରେ ଏକ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ ପୋଷ୍ଟରେ କହିଛନ୍ତି ଯେ ମୁଁ ମୁମ୍ବାଇର ଲୋକାଲ୍ ଟ୍ରେନରେ ଚର୍ଚ୍ଚଗେଟ୍ ଯାଉଥିଲି, ଟ୍ରେନରେ ଚଢ଼ିବା ମାତ୍ରେ ତାର ସ୍ପିଡ୍ ବଢ଼ିଗଲା ଏବଂ ମୋ ବନ୍ଧୁମାନେ ଠିକ୍ ଭାବରେ ଟ୍ରେନ ଧରିପାରିଲେ ନାହିଁ । ଏହି ଭୟ ଯୋଗୁଁ ମୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲି । ଯାହା ଫଳରେ ଗୁରୁତର ଆହତ ମଧ୍ୟ ହୋଇଛି । କରିଶ୍ମା କହିଛନ୍ତି ଯେ ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ, ପିଠି ଯନ୍ତ୍ରଣା ଏବଂ ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ରହିଛି। ମୁଣ୍ଡରେ ଆଘାତର ଗମ୍ଭୀରତା ଦେଖି ଡାକ୍ତରମାନେ ଏମଆରଆଇ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ପାଇଁ ନିରୀକ୍ଷଣରେ ରଖାଯାଇଛି।
