ଆରମ୍ଭ ହେଲାଣି ପାର୍ବଣ ଋତୁ, ସଜେଇ ହେଲାଣି ପୂଜା ମଣ୍ଡପ। ଏବେ ସବୁଠି ଆନନ୍ଦ ଉଲ୍ଲାସ, ପାର୍ବଣର ପରିବେଶ। ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଷୋଡଶ ଦିନାତ୍ମକ ପୂଜା ବିଧି । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ମା ଗଡଚଣ୍ଡୀଙ୍କ ପୀଠରେ ସହସ୍ର କୁମ୍ଭାଭିଷେକ, ଘଟ ସ୍ଥାପନ କରାଯାଇ ମା ଙ୍କୁ ଆବାହନ କରାଯାଇଛି । ନଦୀରୁ ଜଳ କଳସ ଆଣି ମାଙ୍କ ପୀଠରେ ସ୍ଥାପନା କରାଯାଇଛି । ମୂଳାଷ୍ଟମୀ ବା ଦେବୀ ଉତ୍ଥାପନରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡଶ ଉପଚାର ପୂଜା । ଆଜିଠାରୁ ପ୍ରତି ଦିନ ଚଣ୍ଡୀପାଠ, ହୋମଯଜ୍ଞ ସହିତ ବିଜୟା ଦଶମୀ ପର୍ଯ୍ୟନ୍ତ ଉଭୟ ଶକ୍ତି ପୀଠରେ ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଦୁଇ ଅଧିଷ୍ଠାତ୍ରୀ ଦେବୀ । କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପୀଠରେ ଉଭୟ ସୁନା ବେଶରେ ଭୂଷିତ ହେବେ ମା । ଆସନ୍ତାକାଲି ମା କଟକ ଚଣ୍ଡୀ ଭୁବନେଶ୍ବରୀ ଓ ଗଡଚଣ୍ଡୀ ସରସ୍ବତୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।
