କିଏ ବାଇକ୍ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍ରେ ରିଲ୍ସ୍ କରୁଛି ତ ଆଉ କି ହ୍ୟାଣ୍ଡଲ୍ ଛାଡ଼ି ଗାଡ଼ି ଚଳାଇ ସୁଟିଂ କରୁଛି । ପୁଣି ଚାରିଚକିଆ ଯାନରେ ମଧ୍ୟ ବିପଜ୍ଜନକ ଭାବେ ଚଳାଇ ରିଲ୍ସ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ନିଜର ଭିୟୋର୍ସ ବଢ଼ାଇବା ପାଇଁ ଆଜିକାଲି ଯୁବକଯୁବତୀଙ୍କୁ ନିଶା ଘାରିଛି । ତେବେ ହୋଇଯାଆନ୍ତୁ ସାବଧାନ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି ।ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର-I ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ ରିଲ୍ ତିଆରି କରୁଥିବା ଏକ ଗାଡ଼ି ଜବତ କରିଛନ୍ତି। ଭାଇରାଲ ଭିଡିଓରେ ଡ୍ରାଇଭର ଷ୍ଟିୟରିଂ ନ ଧରି ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା। ଡ୍ରାଇଭରଙ୍କୁ ଜୋରିମାନା କରାଯାଇ ତାଙ୍କ ଲାଇସେନ୍ସ ସସ୍ପେଣ୍ଡ ଓ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ ପାଇଁ ପଦକ୍ଷେପ ନିଆଯାଇଛି। ତେବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଓ ଏସ୍ଟିଏ କମିସନର ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗାଡ଼ି ଚଳାଇ ରିଲ୍ସ୍ କରୁଥିବା ବ୍ୟକ୍ତିଙ୍କୁ ଆଉ ଛାଡ଼ ଦିଆଯିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ ଚେତାବନୀ ଦିଆଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ରିଲ୍ସ୍ ତିଆରି ନୁହେଁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି ।
