“ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ କାମ କରୁଛି । ମୁଁ ବିଜେଡିର ପ୍ରାର୍ଥୀ ହେବି ।ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ କରିଛନ୍ତି । ବିଜେଡି ଉପରେ ତାଙ୍କ ପରିବାରର ଆସ୍ଥା ଓ ବିଶ୍ଵାସ ରହିଛି । ଏବେ ଜୟ ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ବୁଲି ଜନସମର୍ଥନ ଜୁଟାଉଛନ୍ତି ।
ସେ ଆଗାମୀ ଉପନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ପଡ଼ିଛି । ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ୪ ଥର ବିଧାୟକ ହୋଇଥିଲେ । ବିଗତ ଦିନରେ ପୁଅ ଜୟଙ୍କୁ ରାଜେନ୍ଦ୍ର ଢୋଲକିଆ ତାଙ୍କ ରାଜନୈତିକ ଉତ୍ତାରାଧିକାରୀ ଭାବେ ପ୍ରୋଜେକ୍ଟ କରି ଆସୁଥିଲେ । ରାଜେନ୍ଦ୍ରଙ୍କ ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଶଙ୍ଖ ଚିହ୍ନ ସହ ନବୀନଙ୍କ ଫଟୋ ରଖି ରାଜେନ୍ଦ୍ର ଢୋଲକିଆ ନିଜ ପୁଅ ଜୟ ଢୋଲକିଆଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏପରିକି ଜୟ ଢୋଲକିଆଙ୍କ ଦେଇଥିବା ଭାଷଣକୁ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରିଛନ୍ତି । ଜାଣିରଖିବା ଉଚିତ ଯେ, ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଚର୍ଚ୍ଚା ହେଉଚି ଯେ, ବିହାର ବିଧାନସଭା ନିର୍ବାଚନ ସହିତ ନୂଆପଡ଼ାରେ ଉପ-ନିର୍ବାଚନ ହୋଇପାରେ । ଏଥିପାଇଁ ଏବେଠୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେଡି ସ୍ୱର୍ଗତଃ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇବା ଏକପ୍ରକାର ପକ୍କା ବୋଲି ଜଣାପଡ଼ୁଛି । ଅନ୍ୟପଟେ ବିଜେପି ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ସେହିପରି କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ଅନ୍ଦର ମହଲରୁ ଖବର ଆସୁଛି ।