ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ। ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ। ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି, ଆସବାବପତ୍ର ଲୋକ କିଣାକିଣି କରିଥାନ୍ତି । ପବିତ୍ର ଧନତେରାସରୁ ଆରମ୍ଭ ହେଉଛି ହିନ୍ଦୁଙ୍କ ପଞ୍ଚ ପର୍ବ ।
