ହୋଟେଲ ରୁମରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ବୈଶାଳୀ ପାଣ୍ଡେ (୨୬)। ତେବେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’।ଗତ ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଆସି ଓୟୋରେ ରୁମ୍ ନେଇ ରହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ବୈଶାଳୀ ପାଣ୍ଡେଙ୍କ ସହିତ ରାୟଗଡ଼ା ଅଞ୍ଚଳର ସଙ୍କେତ ସେନାପତିଙ୍କ ଗତ ଦେଢ଼ ବର୍ଷ ତଳେ ଫେସ୍‌ବୁକ୍‌ରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ବୈଶାଳୀ ଅଙ୍ଗନଓ୍ବାଡ଼ି କର୍ମୀ ଥିବା ବେଳେ ସଙ୍କେତ କଟକସ୍ଥିତ ଜେକେ ଟାୟାର କମ୍ପାନୀରେ ଏରିଆ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଅପରାହ୍ନରେ ବୈଶାଳୀ ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଆସିଥିଲେ। ପରେ ଅଟୋନଗରରେ ଥିବା ହୋଟେଲ ‘ନିର୍ମଳା ପ୍ଲାଜା’ର ରୁମ୍‌ ନଂ ୨୦୫ରେ ସେ ଓ ସଙ୍କେତ ରହିଥିଲେ। ସନ୍ଧ୍ୟାରେ ଉଭୟ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ ହୋଟେଲକୁ ଫେରିଆସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ବୈଶାଳୀ ଅଚେତ ହୋଇ ଗୁରୁତର ହୋଇପଡ଼ିଥିଲେ।

ସଙ୍କେତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୈଶାଳୀଙ୍କୁ ମୃତ ଘୋଷଣା କରିଥିଲେ। ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ବିଳମ୍ବିତ ରାତିରେ ସେମାନେ ଏମକେସିଜି ମେଡ଼ିକାଲରେ ପହଞ୍ଚି ଥିଲେ ।ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ପୁରୀ ନ ଯାଇ ସଙ୍କେତ ଯୁବତୀଙ୍କୁ ଓୟୋ ହୋଟେଲକୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଙ୍କେତକୁ ଅଟକ ରଖି ପଚରାଉଚୁରା କରୁଛି ବ୍ରହ୍ମପୁର ପୋଲିସ୍ ।

ଅଧିକ ପଢନ୍ତୁ

Odisha Darpan Digital