ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିିଛି। ଶ୍ରୀମନ୍ଦିର ଚାରିଦ୍ବାରରେ ଗୁଞ୍ଜରୁଛି ବେଦଧ୍ବନି । ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ ।ସୋମବାର ଠାରୁ ପରିକ୍ରମା ଯଜ୍ଞ ଆରମ୍ଭ ହୋଇଥିବା ବେଳେ ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ବୁଧବାର ଏହି ମହାଯଜ୍ଞର ପୂର୍ଣ୍ଣାହୁତି । ଏହାସହ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୨ ତାରିଖରେ ଶ୍ରୀନହରରେ ଗଜପତି ମହାରାଜା ଶ୍ରୋତ୍ରୀୟ ବାହ୍ମଣମାନଙ୍କୁ ଗୁଆଟେକା ଓ ବରଣ କରିବା ପରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ଆରମ୍ଭ ହୋଇଥିଲା। ବରଣ ହୋଇଥିବା ବାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରା ରୋପଣ, ଅଙ୍କୁର ପୂଜନ, ଅଧିବାସ ସହ ଅନ୍ୟାନ୍ୟ ନୀତି ସାରିବା ପରେ ସୋମବାରଠାରୁ ମହାଯଜ୍ଞ ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଚାଲିବ।ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ମାନେ ଘୃତାହୂତି ଦେଉଛନ୍ତି। ବୁଧବାର ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାପୂତି ଦେବାର କାର୍ଯ୍ୟକ୍ରମ ରହିଛି।ସେପଟେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁରୀ ରହିଛି । ପୁରୀ ସହର ଜଗିଛନ୍ତି ୮୦ ପ୍ଲାଟୁନ୍ ଫୋର୍ସ । ସେହିଭଳି ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ।