ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ

ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ଉଦ୍ୟମ ହେବ। ଏତଦବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ମଧ୍ୟ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ। ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସ ମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ। ବିଶେଷକରି ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ମଲ୍, ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ।

ଅଧିକ ପଢନ୍ତୁ

Odisha Darpan Digital