ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି। ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡରେ ହେରଫେର କରି ଯୋଜନାବଦ୍ଧ ଭାବରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଯାହା ସମବାୟର ଆର୍ଥିକ ସ୍ୱାସ୍ଥ୍ୟ ଏବଂ ସ୍ଥାନୀୟ ଚାଷୀ ସମ୍ପ୍ରଦାୟକୁ ସିଧାସଳଖ ପ୍ରଭାବିତ କରିଥିଲା। ଶ୍ରୀ ସାହୁ ଚାଷୀମାନଙ୍କ ଦ୍ୱାରା ଫେରସ୍ତ ଋଣ ପରିମାଣର ବିବରଣୀ ସରକାରୀ ରେକର୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ, ଗରିବ ଚାଷୀମାନଙ୍କର ଟଙ୍କା ହଡ଼ପ କରାଯାଇଛି। ଠକେଇ ଜନିତ ପ୍ରମାଣ ଆଧାରରେ ଶ୍ରୀ ସାହୁଙ୍କୁ ଗିରଫ କରିଛି। ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ ଶ୍ରୀ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଗିରଫ ପରେ ଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।
