ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ- ସୁପ୍ରିମକୋର୍ଟ

ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ । ଏହାକୁ ଆଧାର କରି କୌଣସି ବିଦେଶୀ ବ୍ୟକ୍ତି ଭୋଟର ତାଲିକାରେ ସ୍ୱୟଂଚାଳିତ ଭାବେ ସାମିଲ ହେବା ଉଚିତ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ,ଆଧାର ହେଉଛି କେବଳ ସରକାରୀ କଲ୍ୟାଣମୂଳକ ସୁବିଧା ପାଇବା ପାଇଁ ଏକ ଆଇନଗତ ପରିଚୟପତ୍ର । କେବଳ ରାସନ ପାଇଁ ଆଧାର ମିଳିଛି ବୋଲି ଜଣେ ବ୍ୟକ୍ତି ଭୋଟର ହୋଇଯିବେ, ଏହା ଗ୍ରହଣୀୟ ନୁହେଁ । ଭୋଟର ତାଲିକାରେ ଥିବା ତ୍ରୁଟିକୁ ଯାଞ୍ଚ କରିବା ପାଇଁ ନିର୍ବାଚନ କମିସନଙ୍କର ଅନ୍ତର୍ନିହିତ କ୍ଷମତା ରହିଛି ବୋଲି ମଧ୍ୟ ଖଣ୍ଡପୀଠ ଦୋହରାଇଛନ୍ତି ।କେତେଜଣ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ସାଧାରଣ ଭୋଟରଙ୍କ ଉପରେ ଏସ୍‌ଆଇଆର୍‌ ପ୍ରକ୍ରିୟା ଏକ ଅସାମ୍ବିଧାନିକ ବୋଝ ଭାବେ ଲଦିଦିଆଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାଗଜପତ୍ର କାମ ପାଇଁ ଧନ୍ଦିହେବାକୁ ପଡ଼ୁଛି ଓ ଭୋଟର ତାଲିକାରୁ ନାଁ କଟିଯିବା ଆଶଙ୍କା ରହୁଛି। ଏଭଳି ପଦକ୍ଷେପ ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ସିବଲ କହିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଉପରେ ଟିପ୍ପଣୀ ଦେଇ ପୂର୍ବରୁ ଏଭଳି ସଂଶୋଧନ ହୋଇ ନ ଥିଲା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଭୋଟର ତାଲିକାରୁ କୌଣସି ନାଁ କଟାଗଲେ, ତାହା ପୂର୍ବରୁ ଉପଯୁକ୍ତ ନୋଟିସ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି।

ଅଧିକ ପଢନ୍ତୁ