ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଏକ ନୂତନ ୧୦୦ ଟଙ୍କାର ନୋଟ୍ ଜାରି କରିଛି, କିନ୍ତୁ ଏହି ନୋଟ୍ ଏକ ପୁରୁଣା ବିବାଦକୁ ପୁନର୍ବାର ଜନ୍ମ ଦେଇଛି। ନୋଟ୍ ଉପରେ ମୁଦ୍ରିତ ମାନଚିତ୍ରରେ ନେପାଳ ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରାକୁ ଏହାର କ୍ଷେତ୍ର ମଧ୍ୟରେ ଥିବାର ଦର୍ଶାଇଛି। ଏହି ଅଞ୍ଚଳଗୁଡ଼ିକ ବର୍ଷ ବର୍ଷ ଧରି ଉତ୍ତରାଖଣ୍ଡର ଅଂଶ ରହିଛି। ନେପାଳ ରାଷ୍ଟ୍ରୀୟ ବ୍ୟାଙ୍କ (ଏନ୍ଆରବି) ଦ୍ବାରା ଜାରି ଏହି ନୂଆ ନୋଟ୍ ଉପରେ ପୂର୍ବତନ ଗର୍ଭନର ଡକ୍ଟର ମହାପ୍ରସାଦ ଅଧିକାରୀଙ୍କ ସାକ୍ଷର ରହିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ବାଧୀନ ସରକାର ମଇ ୨୦୨୦ ରେ ସଂସଦରୁ ସମ୍ବିଧାନ ସଂଶୋଧନ ପାସ୍ କରି କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳରେ ସାମିଲ କରି ନୂଆ ମାନଚିତ୍ରକୁ ମାନ୍ୟତା ଦେଇଥିଲେ। ଏବେ ସେହି ସଂଶୋଧିତ ମାନଚିତ୍ର ୧୦୦ ଟଙ୍କିଆ ନୋଟ୍ ଛପା ଯାଇଛି।କାଠମାଣ୍ଡୁର ଏହି ପଦକ୍ଷେପକୁ ଭାରତ-ନେପାଳ ସମ୍ପର୍କରେ ଏକ ନୂତନ ବିବାଦ ଭାବରେ ବିବେଚନା କରାଯାଉଛି।ନୂତନ ନୋଟ୍ର ସମ୍ମୁଖ ଭାଗରେ ବାମ ପାର୍ଶ୍ୱରେ ମାଉଣ୍ଟ ଏଭରେଷ୍ଟର ଏକ ପ୍ରତିଛବି ଏବଂ ଡାହାଣ ପାର୍ଶ୍ୱରେ ନେପାଳର ଜାତୀୟ ଫୁଲର ଏକ ୱାଟରମାର୍କ ରହିଛି। ମଝିରେ ହାଲୁକା ସବୁଜ ରଙ୍ଗରେ କେନ୍ଦ୍ରରେ ନେପାଳର ଏକ ବିସ୍ତାରିତ ମାନଚିତ୍ର ଚିତ୍ରିତ ହୋଇଛି। ଏଥିରେ ଅଶୋକ ସ୍ତମ୍ଭ ମଧ୍ୟ ମୁଦ୍ରିତ ହୋଇଛି, ଯେଉଁଥିରେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀର ଉଲ୍ଲେଖ ଅଛି। ନୋଟର ପଛ ପାର୍ଶ୍ୱରେ ଏକ ଶୃଙ୍ଗ ବିଶିଷ୍ଟ ଗଣ୍ଡା ଚିତ୍ରିତ ହୋଇଛି।ନେପାଳର ଏହି କାର୍ଯ୍ୟକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି। ଭାରତ କହିଛି, ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ଆମର ଅଭିନ୍ନ ଅଙ୍ଗ। ନେପାଳର ଏହି ପଦକ୍ଷେପ ତଥ୍ୟାତ୍ମକ ଭାବରେ ଭୁଲ। ନେପାଳର ସୀମା ୫ ଭାରତୀୟ ରାଜ୍ୟ ସିକିମ୍ମ, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ୧,୮୫୦ କିଲୋମିଟରରୁ ଅଧିକ ରହିଛି। ଦୁଇ ଦେଶ ଭିତରେ ଏହି କ୍ଷେତ୍ରକୁ ନେଇ ଦୀର୍ଘ ସମୟଧରି ବିବାଦ ଚାଲିଛି।
