କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ । ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଏତଲା ଅନୁସାରେ, ଡିସେମ୍ବର ୩ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଇଥିଲେ ।ସେହି ସମୟରେ ୨ ନମ୍ବର ପ୍ଲାଟଫର୍ମରେ କୋର୍ବା ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ୍ ଆସିଥିଲା । ଆଉ ବିଧାୟକ ଷ୍ଟେସନରେ ବସିଥିବା ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଓ ଶିଶୁଙ୍କୁ ଦେଖି ଦାଦନ ଚାଲାଣ ସନ୍ଦେହରେ ପ୍ରଶ୍ନ କରିଥିଲେ ।
ଆଉ ଷ୍ଟେସନରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ କିଏ କହିଥିଲା ହାଇଦ୍ରାବାଦ ଯାଉଛୁ… ତ ଆଉ କିଏ ବିଜୟୱାଡ଼ା । ଯାହାକୁ ନେଇ ଦାଦନ ଚାଲାଣ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା । ସଙ୍ଗେ ସଙ୍ଗେ ବିଧାୟକ ଦାଦନ ରୋକିବାକୁ ହୋଇଥିବା ଟାସ୍କଫୋର୍ସ ସହ ଆରପିଏଫ୍, ଜିଆରପି ସହ ସ୍ଥାନୀୟ ପୋଲିସକୁ ଖବର ଦେବାକୁ କହିଥିଲେ ।ଆଉ ଏତିକି ବେଳେ ଦୌଡ଼ି ଆସିଥିଲେ ଶ୍ରମିକଙ୍କୁ ଦାଦନ ଚାଲାଣ କରୁଥିବା ଦଲାଲ । ମହମ୍ମଦ ଇମ୍ରାନ ଖାନ (ବଣ୍ଟି), ପି. ହାରୁନ ଖାନ ଏବଂ ବଣ୍ଟି ବେହେରାଙ୍କ ସହ ୫ରୁ ଅଧିକ ଦାଦନ ଦଲାଲ ମାଡ଼ି ଆସିବା ସହ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିଲେ । ଅସଭ୍ୟ ଭାଷାରେ ଗାଳି ଦେଇ ଧମକ ଦେଇଥିଲା ମହମ୍ମଦ ଇମ୍ରାନ ଖାନ ଓରଫ ବଣ୍ଟି ।
