୪୦ ମିନିଟ୍‌ ଅପେକ୍ଷା କରାଇଲେ ରୁଷ ରାଷ୍ଟ୍ରପତି, ଅପଦସ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପୁଟିନଙ୍କୁ ଅପେକ୍ଷା କରି ହଟହଟା ହୋଇଛନ୍ତି ଶରିଫ । ଶେଷରେ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ନିକଟରେ ପହଞ୍ଚି ଅପଦସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତୁର୍କମେନିସ୍ତାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇଥିଲେ । ଏହି ବୈଠକରେ ତୁର୍କୀର ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରେ ରୁଷ ରାଷ୍ଟ୍ରପତିଙ୍କୁ ଶରିଫ ଭେଟିବାର କାର୍ଯ୍ୟକ୍ରମ ଥିଲା । ପୁଟିନ ପ୍ରଥମେ ତୁର୍କୀ ରାଷ୍ଟ୍ରପତିଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ଅଧିକ ସମୟ ଧରି ଚାଲିଥିଲା । ପୁଟିନଙ୍କୁ ଭେଟିବା ପାଇଁ ଦୀର୍ଘ ୪୦ ମିନିଟ ଧରି ଅପେକ୍ଷା କରି ବସି ରହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ହେଲେ ପୁଟିନଙ୍କ ବୈଠକ ନସରିବାରୁ ଶରିଫଙ୍କ ଧୈର୍ଯ୍ୟ ଚାଲିଯାଇଥିଲା । ବିଳମ୍ବ ସହିନପାରି ଶରିଫ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ବୈଠକ ସ୍ଥାନକୁ ଚାଲି ଯାଇଥିଲେ। ତେବେ ପୁଟିନ ବୈଠକ ପାଇଁ ପ୍ରସ୍ତୁତ ନଥିବାରୁ ସେଠାରେ ମଧ୍ୟ ଶରିଫଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଏହି ଘଟଣାକୁ ନେଇ କୂଟନୈତିକ ସ୍ତରରୁ ପାକିସ୍ତାନକୁ ସମାଲୋଚିତ ହେବାକୁ ପଡିଛି ।ଦୁଇଟି ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଚାଲିଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୋର ଜବରଦସ୍ତ ବୈଠକ ସ୍ଥାନକୁ ଯିବାକୁ ବୈଦେଶିକ ବ୍ୟାପାର ବିଶେଷଜ୍ଞ ନାପସନ୍ଦ କରିବା ସହ ଏହାକୁ ପାକିସ୍ତାନର ଭୁଲ ବୋଲି କହିଛନ୍ତି । ଏପଟେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଲୋକମାନେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ୍ କରୁଛନ୍ତି ।

ଅଧିକ ପଢନ୍ତୁ