ଆଜି ପବିତ୍ର ଧନୁ ସଂକ୍ରାନ୍ତି,ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ପରେ କୋଠ ଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ସେହିପରି ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି, ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ତେବେ ନୀତି କାନ୍ତିକୁ ଦୃଷ୍ଟିରେ ରଖି ଦିବା ପହୁଡ଼ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।ସେହି ସ୍ମୃତିକୁ ମନେପକାଇ ଆଜି ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କୁ ଲାଗିହେବ ପହିଲିଭୋଗ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି କରାଯାଇ ପ୍ରତିଦିନ ଶ୍ରୀଜିଉଙ୍କୁ ଏହି ବିଶେଷ ଭୋଗ ଅର୍ପଣ କରାଯିବ । ବର୍ଷକୁ ଥରେ ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ତେବେ ସକାଳ ହୋଇଗଲେ ଯଦି ଭୋଗ ନ ଲାଗିଥାଏ ଏହି ଭୋଗ ମାରା ହୋଇଯିବାର ମଧ୍ୟ ବିଧି ରହିଛି ।

ଅଧିକ ପଢନ୍ତୁ