ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ତିନି ଦିନ ଧରି ‘ଗମ୍ଭୀର’ ଶ୍ରେଣୀରେ ରହିବା ପରେ ମଙ୍ଗଳବାର ସାମାନ୍ୟ ଉନ୍ନତି ହୋଇ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଆସିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ସକାଳ ୯ ଟାରେ AQI ୩୭୮ ରେ ରେକର୍ଡ କରାଯାଇଛି, ଯାହା ସୋମବାର ସନ୍ଧ୍ୟାର ୪୨୭ ଠାରୁ ସାମାନ୍ୟ ଭଲ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସେମାନଙ୍କର ସର୍ବାଧିକ 50% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ ପଡିବ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଆସନ୍ତାକାଲିଠାରୁ ଘରୁ କାମ କରିବେ। ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବିଭାଗ, ବିପର୍ଯ୍ୟୟ ପରିଚାଳନା ଏବଂ ପରିବହନ ବିଭାଗ ଭଳି ଅତ୍ୟାବଶ୍ୟକୀୟ ସେବା କର୍ମଚାରୀମାନଙ୍କୁ ଏହି ନିୟମରୁ ମୁକ୍ତ କରାଯିବ।
