ଋଣ ବୋଝରେ ଚାପି ହୋଇ ବିକିଦେଲେ କିଡ୍‌ନି

ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଏହି ଘଟଣା । ପୀଡ଼ିତ ଚାଷୀଙ୍କ ନାଁ ହେଉଛି ରୋଶନ ସଦାଶିବ କୁଡେ । ରୋଶନଙ୍କ ଅଭିଯୋଗ ସାହୁକାର ଋଣ ସୁଝିବା ଚାପରେ ତାଙ୍କୁ ନିଜର କିଡନି ବିକ୍ରି କରିବାକୁ ପଡ଼ିଛି । ପୁଲିସ ମୁତାବକ ଗତ ୨୦୨୧ରେ ଚିକିତ୍ସା ଓ ବ୍ୟବସାୟ ପାଇଁ ରୋଶନ ସୁଧରେ ଏକ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ରୋଶନଙ୍କ ପାରିବାରିକ ସ୍ଥିତି ଏମିତି ହେଲା ଯେ ସେ ନା ସୁଧ ଦେଇପାରିଲେ ନା ମୂଳଧନ । ଯେତେବେଳେ ସୁଧ ଦେଇପାରୁନଥିଲେ ସାହୁକାର ସୁଧ ଉପରେ ସୁଧ ଲଗାଉଥିଲା । ୫ ବର୍ଷ ଭିତରେ ଋଣ ବଢ଼ି ବଢ଼ି ୭୪ ଲକ୍ଷ ହୋଇଗଲା । ଲକ୍ଷେ ଟଙ୍କା ଋଣ ରୋଶନଙ୍କୁ ଏତେ ଭାରି ପଡ଼ିବ କେବେ ସେ ଚିନ୍ତା ବି କରିନଥିବେ ।ଏହାପରେ ସାହୁକାର ରୋଶନଙ୍କଠାରୁ ୧ ଲକ୍ଷ ଟଙ୍କା ଉପରେ ପ୍ରତିଦିନ ୧୦,୦୦୦ ଟଙ୍କା ହାରରେ ସୁଧ ଆଦାୟ କରିବା ଆରମ୍ଭ କରିଥିଲେ। ରୋଶନ ଦୁଇ ଏକର ଜମି, ତାଙ୍କର ଟ୍ରାକ୍ଟର ଏବଂ ଘରକରଣା ସାମଗ୍ରୀ ବିକ୍ରି କରିଥିଲେ, କିନ୍ତୁ ୧ ଲକ୍ଷ ଟଙ୍କାର ମୂଳ ପରିମାଣରେ ୭୪ ଲକ୍ଷ ଟଙ୍କା ସୁଧ ଦେବାକୁ ସେ ସକ୍ଷମ ହୋଇପାରିନଥିଲେ । ଚାଷୀ ଜଣକ ଅଭିଯୋଗ କରିଛନ୍ତି ଯେ, ସାହୁକାର ତାଙ୍କୁ କିଡନି ବିକ୍ରି କରିବାକୁ ପରାମର୍ଶ ଦେଇଥିଲା । କିଡ୍‌ନି ବିକିବାକୁ ଜଣେ ଦଲାଲ ତାଙ୍କୁ ପ୍ରଥମେ କୋଲକାତା ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହାପରେ କାମ୍ବୋଡିଆରେ ଅସ୍ତ୍ରୋପଚାର କରାଯାଇ ତାଙ୍କ କିଡନି କାଢ଼ି ନିଆଯାଇଥିଲା । ରୋଶନ ଆଠ ଲକ୍ଷ ଟଙ୍କାରେ ନିଜର କିଡନି ବିକ୍ରି କରିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଋଣ ଜାଲରେ ଫସିଥିବା ଚାଷୀଙ୍କ ଏହି କାହାଣୀ ମାନବିକତାକୁ ଦୋହଲାଇ ଦେଇଛି ।ପୀଡିତ ଚାଷୀ ଅଭିଯୋଗ କରିଛନ୍ତି ଯେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ପ୍ରଶାସନ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଚାଷୀ କହିଛନ୍ତି ଯେ ଯଦି ପୋଲିସ ସମୟୋଚିତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତେବେ ତାଙ୍କୁ ଆଜି ଏହି ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ସହିବାକୁ ପଡିନଥାନ୍ତା।

ଅଧିକ ପଢନ୍ତୁ