ଓଡ଼ିଶା ଜିଲ୍ଲା ଚେସ ପ୍ରିମିୟର ଲିଗ ଉଦଘାଟିତ, ସୃଷ୍ଟି ହେବେ ୧ଲକ୍ଷ ଚେସ ଖେଳାଳି

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ରୋଟାରୀ ଓଡ଼ିଶା ଜିଲ୍ଲା ଚେସ ପ୍ରିମିୟର ଲିଗ ୟୁନିଟ-୯ ସ୍ଥିତ ରୋଟାରୀ ଭବନ ଠାରେ ଅନୁଷ୍ଠାନିକ ଭାବେ ଆଜି ଉଦଘାଟିତ ହୋଇଯାଇଛି। ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ରୋଟାରୀ କ୍ଳବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ଚେସ ପ୍ରିମିୟର ଲିଗର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅଲମ୍ପିକ ଆସୋସିଏସନ ସଭାପତି ସମୀର ମହାନ୍ତି ଯୋଗଦାନ କରି ଆଜିର ମୋବାଇଲ ମନସ୍କ ଛାତ୍ର ସମାଜକୁ ମୋବାଇଲରୁ ଧ୍ୟାନ ହଟେଇ ଚେସ ଖେଳ ପ୍ରତି ମନୋନିବେଶ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ ରୋଟାରୀ ଗଭର୍ଣ୍ଣର ମାନସ ତ୍ରିପାଠୀ,ବିଜେପି ନେତା ଗୋଲକ ମହାପାତ୍ର, ଆଇକନିକ ସ୍ପୋର୍ଟ୍ସ ଫେଡେରେସନ ଅଧ୍ୟକ୍ଷା ଚିଦାମ୍ବିକ ଖଟୁଆ,ଓଡ଼ିଶା ଚେସ ଆସୋସିଏସନ ସଦସ୍ୟ ପ୍ରଦ୍ୟୁମ୍ନ ମିଶ୍ର,ବିଜେପି ରାଜ୍ୟ ସେକ୍ରେଟାରୀ କାଳନ୍ଦୀ ସାମଲ, ରୋଟାରିଆନ ସୁଜିତ କୁମାର ରାଉତ, ଅଭିଷେକ ମିତ୍ର ପ୍ରମୁଖ ଯୋଗଦାନ କରି ଚେସ ଖେଳ ପ୍ରତି ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ପାଇଁ ମତାମତ ଦେଇଥିଲେ। ରୋଟାରୀ କ୍ଳବ ସଭାପତି ସଞ୍ଜୟ ଚୌଧୁରୀଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ବିଶ୍ୱଜିତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ପ୍ରିମିୟର ଲିଗ ନିର୍ଦ୍ଦେଶକ ରୋଟାରିଆନ ବାସୁଦେବ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟ ସ୍ତରରୁ ଏକ ଲକ୍ଷ ଚେସ ଖେଳାଳି ସୃଷ୍ଟି କରିବା ପାଇଁ ସଂକଳ୍ପ ନେଇଥିଲେ। ସୂଚନାଯୋଗ୍ୟ ଯେ, ଆଇପିଏଲ କ୍ରିକେଟ ଢାଞ୍ଚାରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ଚେସ ଆସୋସିଏସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଗତ ୧୦ ତାରିଖରେ ଚେସ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଓଡ଼ିଶାର ୧୨ଟି ଜିଲ୍ଲା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇ ଥିବାବେଳେ ୧୨ଟି ଟିମ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୫ଜଣ ଖେଳାଳି ରହିଥିବା ବେଳେ ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ସୋନପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା ଏବଂ ଢେଙ୍କାନାଳ ପକ୍ଷରୁ ମୋଟ ୬୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ମନୋନୀତ ହୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟ ଆର୍ବିଟର ଅଭିଷେକ ଆଚାର୍ଯ୍ୟଙ୍କ ସହିତ ଆର୍ବିଟର ସତ୍ୟଜିତ ବାରିକ ଏବଂ ଦିଲ୍ଲୀପ କୁମାର ରଣା ଏହି ପ୍ରିମିୟର ଲିଗ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି।By:Laxmidhar Sahoo

ଅଧିକ ପଢନ୍ତୁ