ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ ।ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ଦଳୀୟ ନେତା ଏବଂ ସଂସଦ ସଦସ୍ୟଙ୍କ ସହିତ ଏକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା ୱାୟାନାଡ ଏମ୍ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆଜମଗଡ ଏମ୍ପି ଧର୍ମେନ୍ଦ୍ର ଯାଦବ ଏବଂ ଘୋସି ଏମ୍ପି ରାଜୀବ ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ସୂତ୍ର ଅନୁସାରେ, ଧର୍ମେନ୍ଦ୍ର ଯାଦବ ଗୃହ ଅଧିବେଶନର ଅବଧି ବୃଦ୍ଧି କରିବାକୁ ଦାବି କରିଥିଲେ। ସେ କହିଥିଲେ, ଅଧିବେଶନ ବହୁତ ଛୋଟ ଥିଲା ଏବଂ ଏହାକୁ ବୃଦ୍ଧି କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ହସି ହସି କହିଥିଲେ, ହଁ, ସ୍ଲୋଗାନ ଦେବା ପାଇଁ…।
ବୈଠକ ପରେ ସଂସଦ ପରିସରରେ ଧର୍ମେନ୍ଦ୍ର ଯାଦବ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ଏକ ପରମ୍ପରା ରହିଆସିଛି ଯେ ଅଧିବେଶନ ଶେଷରେ ବାଚସ୍ପତି ସମସ୍ତ ଦଳ ସହିତ ଏକ ବୈଠକ କରନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅନେକ ବିଷୟରେ ଆଲୋଚନା ହୋଇଥିଲା, ଯାହା ଆମେ ବାହାରେ ପ୍ରକାଶ କରିପାରିବୁ ନାହିଁ।ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ । ଅଧିବେଶନରେ ମୋଟ ୧୫ଟି ବୈଠକ ହୋଇଥିବା ବେଳେ ଉତ୍ପାଦତା ୧୧୧ ପ୍ରତିଶତ ରହିଥିଲା । ଅଧିବେଶନ ସମାପନ ଅବସରରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ଓମ ବିର୍ଲା ।
