
ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଶପଲ୍ଲା ବ୍ଲକ , ଘୁଗୁଡ଼ିପଡ଼ା ପଞ୍ଚାୟତର ଘୁଗୁଡ଼ିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶତାଧିକ ଛାତ୍ରଛାତ୍ରୀ, ଅଧିକାର ମିତ୍ର ମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ଶିବିର ଅନୁଷ୍ଠିତ ହେବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମଛଖଣ୍ଡ ନିଜ ବକ୍ତବ୍ୟରେ କହିଥିଲେ ଆଜିର ଶିଶୁ କାଲିର ଭବିଷ୍ୟତ। ଛାତ୍ରଛାତ୍ରୀ ଯେପରି ଶିକ୍ଷାଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅଧାରୁ ପାଠ ଚାଡୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାଇ ସୁଝାଇ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇନରେ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ବୁଝାଇ ଥିଲେ। ନୟାଗଡ଼ ଠାରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ବିଦ୍ୟାଳୟର ପାରିପାର୍ଶିକ ଅବସ୍ଥାକୁ ଦେଖି ଦୁଃଖ ପ୍ରକାଶ କରିଥିଲେ। ପଠନ ଗୃହର ଅଭାବ, ଖେଳପଡିଆ, ସାଇକଲ ଷ୍ଟାଣ୍ଡ ଏବଂ ଛାତ୍ରଛାତ୍ରୀମାନେ ନିତ୍ୟ ବ୍ୟବହାର କରୁଥିବା ସ୍କୁଲ ବ୍ୟାଗ୍ କୁ ଦେଖି ସଚିବ ହତଭାଗ୍ ହୋଇଯାଇଥିଲେ। ଏଥିପ୍ରତି ଧ୍ୟାନ ଦେବାକୁ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ, ଓକିଲ କାମାକ୍ଷା ପ୍ରସାଦ ଦାସ, ଅଧିକାର ମିତ୍ର , ପ୍ରଫୁଲ୍ଲ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା କହଁର ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଅଧିକାର ମିତ୍ର ଏବଂ ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।
