ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ । ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ । ସରକାର ଜାରି କରିଛନ୍ତି ନୂଆ SOP । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ ତାରିଖରୁ ଲାଗୁ ହେବ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମୂଲ୍ୟାଙ୍କନ କମିଟି’ (DVC) ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି’ (SDVC) ଗଠନ କରାଯିବ । ଏଥିରେ ବିଶେଷଜ୍ଞ ମୂଲ୍ୟାଙ୍କନକାରୀ ମାନେ ରହିବେ। ସହରାଞ୍ଚଳ (Form-5) ପ୍ଲଟଗୁଡ଼ିକୁ ରାସ୍ତା କଡ଼, ଆବାସିକ ଓ ବ୍ୟବସାୟିକ ଶ୍ରେଣୀରେ ବିଭକ୍ତ କରାଯାଇ ମୂଲ୍ୟ ସ୍ଥିର ହେବ।
ଗ୍ରାମାଞ୍ଚଳ (Form-6)ରେ ଚାଷ ଜମି, ଅଣ-ଚାଷ ଜମି ଓ ଜାତୀୟ ରାଜପଥ ନିକଟରେ ଥିବା ଜମି ଅନୁସାରେ ମୂଲ୍ୟ ଧାର୍ଯ୍ୟ ହେବ । ଇଞ୍ଜିନିୟରଙ୍କ ଦ୍ୱାରା ଧାର୍ଯ୍ୟ RCC ଏବଂ ଅନ୍ୟାନ୍ୟ ନିର୍ମାଣ ଦର ଅନୁସାରେ ଘର ଓ କୋଠା ମୂଲ୍ୟାଙ୍କନ ହେବ । ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ରେଜିଷ୍ଟ୍ରି କାରବାର ମଧ୍ୟରୁ ସବୁଠାରୁ ଅଧିକ ମୂଲ୍ୟର ୫୦% କାରବାରର ହାରାହାରିକୁ ନେଇ ବେଞ୍ଚମାର୍କ ମୂଲ୍ୟ ସ୍ଥିର କରାଯିବ। SDVCର ପ୍ରସ୍ତାବ DVC କୁ ଯିବ । ଶେଷରେ Board of Revenueରୁ ଅନୁମୋଦନ ପରେ ଏହା ଜିଲ୍ଲାୱାରୀ ପ୍ରକାଶ ପାଇବ ।
