ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ ଜଣେ ମହିଳା

ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା ନେଇ ଜଣାପଡ଼ିଛି।ଡିସେମ୍ବର ୧୫ ତାରିଖ ସକାଳେ ପଟରାଉଆ ରୋଡ୍ ସ୍ଥିତ ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ମାମଲାଟି ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ସିଓ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ ପୁଅ ୩୫ ବର୍ଷୀୟ ରାହୁଲ। ମୃତଦେହର ହାତରେ ରାହୁଲ ନାମରେ ଟାଟୁ କରାଯାଇଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ଏଥିସହିତ ତାଙ୍କ ଫୋନ ନଭେମ୍ବର ୧୮ ତାରିଖରୁ ବନ୍ଦ ଥିଲା। ଏହି ହତ୍ୟାକାଣ୍ଡରେ ରୁବିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା। ଜେରା ସମୟରେ ରୁବି ସତ ମାନିଯାଇଥିବା ନେଇ ଏସପି କହିଛନ୍ତି।ଏହି ସମ୍ପୂର୍ଣ୍ଣ ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖୁଲାସା ମୃତକଙ୍କ ୧୦ ବର୍ଷର ଝିଅଠାରୁ ଆସିଥିଲା। ସେ ବ୍ୟାଖ୍ୟା କରିଥିଲେ ଯେ ତାଙ୍କ ବାପାମାଆ ପ୍ରାୟତଃ ଝଗଡା କରୁଥିଲେ ଏବଂ ଗୌରବ ଏବଂ ଅଭିଷେକ ଘରକୁ ଆସୁଥିଲେ। ସେମାନେ ପିଲାମାନଙ୍କ ପାଇଁ ଏକ ହୋଟେଲରୁ ଚକୋଲେଟ୍ ଏବଂ ଖାଦ୍ୟ ଆଣି ଦେଉଥିଲେ। ଝିଅଟିର କହିବା ଅନୁସାରେ, ଅଭିଷେକ ପ୍ରାୟତଃ କହୁଥିଲେ, ଆଉ କେବଳ କିଛି ମାସ ଅଛି, ତା’ପରେ ତୁମର ବାପା ଚାଲିଯିବେ। ଏହି ବୟାନକୁ ଆଧାର କରି ସତ ଖୋଜିଥିଲା ପୋଲିସ ।ସୂଚନା ଅନୁଯାୟୀ, ଗୌରବଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବାର ରାହୁଲ ଦେଖିଦେଇଥିଲେ। ଯାହାଫଳରେ ସେ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ଏକ ଲୁହା ରଡ୍ ଏବଂ ଏକ ଲୁହା ହେମାଦସ୍ତାରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଗ୍ରାଇଣ୍ଡର ଦ୍ଵାରା ମୃତ ଦେହକୁ ଖଣ୍ଡ ଖଣ୍ଡ କରିଥିବା କୁହାଯାଇଛି। ହତ୍ୟା ପରେ ଦୁଇଜଣ ଶରୀରର ଗୋଟିଏ ଅଂଶକୁ ଏକ ନାଳରେ ଫିଙ୍ଗି ଦେଇଥିଲେ ଓ ଅବଶିଷ୍ଟ ଅଂଶଗୁଡ଼ିକୁ ରାଜଘାଟକୁ ନେଇ ଗଙ୍ଗା ନଦୀରେ ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ପୋଲିସ ମୃତଦେହକୁ କାଟିବା ପାଇଁ ବ୍ୟବହୃତ ହୋଇଥିବା ଗ୍ରାଇଣ୍ଡର, ଲୁହା ରଡ୍ ଏବଂ ଆକ୍ରମଣରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣକୁ ଜବତ ମଧ୍ୟ କରିଛି।

ଅଧିକ ପଢନ୍ତୁ