ଆସନ୍ତାକାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେର ନିଜର ଉଚ୍ଚକୋଟୀର ସଂଳାପ ସହ ସଂପୂର୍ଣ୍ଣ ପ୍ରସ୍ତୁତ । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ ସାଜିଥିବା କୃଷ୍ଣ ବଳରାମ ଓ ରାଧା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ ।
ଆସନ୍ତାକାଲି ଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲା ପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଭିନ୍ନ ଭିନ୍ନ ଝୁଲା ସହିତ ମୀନାବଜାର ଓ ବ୍ୟବସାୟୀ ମାନେ ଆସର ପକାଇଲେଣି । ଏଥର ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
