ହୋଟେଲ୍‌ ରୁମ୍‌ରେ ଜୁଆ ଖେଳ, ରେଡ୍‌ ବେଳେ ପୁଳାପୁଳା ୫୦୦ ଟଙ୍କିଆ ନୋଟ୍‌ ଜବତ

ସମ୍ବଲପୁର ସହରର ଏକ ଦାମୀ ହୋଟେଲରେ ଜୁଆ ଖେଳର ପର୍ଦ୍ଦାଫାସ । ଭିଏସ୍‌ଏସ୍‌ ମାର୍ଗର ଏକ ହୋଟେଲ୍‌ରେ ଚାଲିଥିବା ଜୁଆ ଖେଳ ବେଳେ ଧନୁପାଲି ପୋଲିସର ରେଡ୍ । ଜୁଆ ରେଡ୍‌ ବେଳେ ପାଇଖାନା ଫ୍ଲସରେ କିଛି ଟଙ୍କା ପକାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ପ୍ରାଥମିକସ୍ତରରେ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ପଶ୍ଚିମ ଓ ଅନ୍ୟତମ ଗଣପର୍ବ ପୁଷପୁନୀ(ପୌଷ ପୂର୍ଣ୍ଣିମା) ଅବସରରେ ଭିଏସଏସ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସ୍‌ର କକ୍ଷ ନମ୍ବର ୧୦୫ ଜୁଆଖେଳ ଚାଲିଥିଲା। ଏସମ୍ପର୍କରେ ଖବର ପାଇ ଧନୁପାଲି ଥାନା ପୋଲିସ ଶନିବାର ଅପରାହ୍ନରେ ଉକ୍ତ ହୋଟେଲ୍ରେ ଅତର୍କିତ ଚାଉ କରିଥିଲା। ହଠାତ ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ କକ୍ଷରେ ଥିବା ଶୌଚାଳୟ ଫ୍ଲସ୍‌ରେ ଜୁଆଖେଳରେ ବ୍ୟବହୃତ ସମସ୍ତ ଟଙ୍କାକୁ ଲୁଚାଇ ଦେଇଥିଲେ। ଅପରପକ୍ଷରେ ପୋଲିସ ଉକ୍ତ କକ୍ଷରେ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଶୌଚାଳୟ ଫ୍ଲସକୁ ମଧ୍ୟ ଯାଞ୍ଚ କରି ଏଥିରେ ଲୁଚାଇ ରଖିଥିବା ଲକ୍ଷାଧିକ ଟଙ୍କାକୁ ଜବତ କରିଥିଲା। ତେବେ ଉକ୍ତ ଟଙ୍କା ଗଣତି ହୋଇ ନ ଥିବାରୁ କେତେଟଙ୍କା ଜବତ ହୋଇଛି ତାହା ପୋଲିସ କହି ପାରି ନାହିଁ । ପୋଲିସ ଅଟକ ରଖିଥିବା ବ୍ୟକ୍ତିମାନଙ୍କୁ ପଚରା ଉଚରା କରୁଛି। ଏଥିରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ସିଧା ସଳଖ ନ ଥିଲେ ମଧ୍ୟ ନିଶ୍ଚିତ ରୂପେ ପରୋକ୍ଷ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରୁଛି । ଅଭିଯୁକ୍ତ ସମସ୍ତେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ମଧ୍ୟ ଜୁଆ ଖେଳ ସହିତ ସଂପୃକ୍ତ ଥିଲେ।

ଅଧିକ ପଢନ୍ତୁ