୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ  ସୁରେନ୍ଦ୍ର ଦାଶ

ସୁରେନ୍ଦ୍ର କୁମାର ଦାଶ ନାମକ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଏହି ଘଟଣା ଅନୁଗୁଳର ବୋଲି ଜଣାପଡ଼ିଛି। ସେ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଅଭିଯୁକ୍ତ ଜଣକ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସାର ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଭାବରେ ନିଯୁକ୍ତ ଥିଲେ।ଏକ ଜମି ଡିମାର୍କେସନ ପାଇଁ ମାଗିଥିଲେ ଲାଞ୍ଚ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ । ପ୍ରଥମେ ୨ ହଜାର ଟଙ୍କା ନେଇଥିଲେ । ବକେୟା ଲାଞ୍ଚ ୮ ହଜାର ଟଙ୍କା ମାଗିଥିଲେ ଆରଆଇ । ପରେ ୬ ହଜାର ଟଙ୍କାକୁ ଖସିଥିଲେ । ଏପରି ଦାବିରେ ବିରକ୍ତ ହୋଇ ଜମି ମାଲିକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀମାନେ କିଆକାଟା ସ୍ଥିତ ଆରଆଇ ଅଫିସ କ୍ୟାମ୍ପସ ଭିତରେ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। କିନ୍ତୁ ଭିଜିଲାନ୍ସ ଟିମକୁ ଦେଖି ଅଭିଯୁକ୍ତ ଲାଞ୍ଚ ଟଙ୍କାକୁ କାର୍ଯ୍ୟାଳୟ ପରିସରରେ ଥିବା ଏକ ଶୌଚାଳୟର ଝରକା ବାହାରକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଥିବା ରିପୋର୍ଟରୁ ଜଣାପଡିଛି।ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କ ଠାରୁ ସମ୍ପୂର୍ଣ୍ଣ ୬୦୦୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ