ଅଲିଭ ରିଡଲେ କଇଁଛଙ୍କୁ ଜଗିବ ୱାଚ୍‌ ଟାୱାର

ଓଡି଼ିଶା ଉପକୂଳ ମୁହାଁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍‌ ଅତିକ୍ରମ କରି ରାଜ୍ୟର ବିଭିନ୍ନ ବେଳାଭୂମିକୁ ଆସିଥାନ୍ତି ଏହି ବିରଳ ପ୍ରଜାତିର କଇଁଛ । ସାଧାରଣ ଭାବରେ ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ତେବେ ଏହା ପରେ ପାଖାପାଖି ମେ’ ମାସ ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୋଇଥାଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ତେବେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ 3ଟି ସ୍ଥାନରେ ପ୍ରାଥମିକ ଭାବରେ ୱାଚ ଟାୱାର ପ୍ରସ୍ତୁତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ‘ଚଳିତବର୍ଷ 6 ରୁ 7 ଲକ୍ଷ ଅଲିଭ ରିଡଲେ ଆସିବେ ବୋଲି ଆଶା ରହିଛି । କଇଁଚଙ୍କୁ ସୁରକ୍ଷା ପ୍ରଦାନ କରିବା ଆମର ଦାୟିତ୍ବ । ସେଥିପାଇଁ ଆମର ସେଠାରେ କ୍ଲୋଜ ମନିଟରିଂ କରାଯାଉଛି । ଋଷିକୂଲ୍ୟା, ଭିତରକନିକାରେ ତିନୋଟି ୱାଚ ଟାୱର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । 3ଟି ସ୍ଥାନରେ ପ୍ରାଥମିକ ଭାବରେ ୱାଚ ଟାୱାର ପ୍ରସ୍ତୁତ କରାଯିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ ।’

ଅଧିକ ପଢନ୍ତୁ