କୁହାଯାଏ ଭାରତ ଏକ ଯୁବ ଦେଶ । ଆଜି ହେଉଛି ଜାତୀୟ ଯୁବ ଦିବସ । ପ୍ରତିବର୍ଷ ଜାନୁଆରୀ 12 ତାରିଖରେ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଆଜିର ଦିନକୁ ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ ।ଏହି ଦିନଟି ହେଉଛି ଭାରତର ମହାନ ଦାର୍ଶନିକ, ସନ୍ନ୍ୟାସୀ ତଥା ଯୁବ ପ୍ରତିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ୧୯୮୪ ମସିହାରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ଘୋଷଣା କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିବେକାନନ୍ଦଙ୍କ ଆଦର୍ଶରେ ଦେଶର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା । ସ୍ୱାମୀ ବିବେକାନନ୍ଦ ଜଣେ ମହାନ ଦାର୍ଶନିକ, ଯୁଗପୁରୁଷ ଏବଂ ଆଧ୍ୟାତ୍ମିକ ଗୁରୁ ଥିଲେ । ଶିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଐତିହାସିକ ଭାଷଣ ସମଗ୍ର ବିଶ୍ୱରେ ଭାରତର ଗୌରବ ବଢ଼ାଇଥିଲା। ତାଙ୍କର ଆଦର୍ଶ ଏବଂ ଅମୂଲ୍ୟ ବାଣୀ ଆଜି ବି କୋଟି କୋଟି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।ସ୍ବାମୀ ବିବେକାନ୍ନଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ତାଙ୍କ ପିତା ବିଶ୍ବନାଥ ଦତ୍ତ ଏବଂ ସେ ପେସାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଭୁବନେଶ୍ବରୀ ଦେବୀ । ହେଲେ ପିତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଚଳାଇବା ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଥିଲା । ବିବେକାନନ୍ଦ ଉନବିଂଶ ଶତାବ୍ଦୀର ରହସ୍ୟମୟ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ। ପରିସ୍ଥିତି ଯୋଗୁଁ ଭଗବାନ ଅପେକ୍ଷା ସେ କର୍ମ ଓ ମାନବିକତାକୁ ମାନିବାକୁ ଲାଗିଥିଲେ । 1902 ଜୁଲାଇ 4 ରେ ତାଙ୍କର ଦେହାନ୍ତ ହୋଇଥିଲା ।
