ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ ଏହି କ୍ୟାମେରା ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯିବ । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହା ଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟର୍ନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି ।ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଏହା ମାର୍ଚ୍ଚ ୨୧ ତାରିଖ ଯାଏଁ ଚାଲିବ । ୨୨ ଦିନ ଧରି ପରୀକ୍ଷା ଚାଲିବ । ଚଳିତବର୍ଷ ମୋଟ୍ 4 ଲକ୍ଷ 1623 ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ।
