ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ।ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରଙ୍କୁ ଲାଗି କରାଯବ । ସେହିପରି ବଡ଼ସିଂହାର ବେଶରେ ସୋଲ, ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯିବ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ, ଶଙ୍ଖ,ଚକ୍ର,ହଳ,ମୁଷଳ ଇତ୍ୟାଦି ଧାରଣ କରିବେ । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ନବାଙ୍କ ବେଶରେ ଠାକୁରଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ।ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ। ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ। ସାଧାରଣ ଦିନ ମାନଙ୍କରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ। ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପର ଗୁଡିକ ତୁଳସୀ ପତ୍ର ଦ୍ୱାରା ପ୍ରସ୍ତୁତ ହୋଇଥାଏ। ସେହି ଟୋପର ଉପରେ ଗେଣ୍ଡୁ ଫୁଲର ମାଳା ଗୁଡା ଯାଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୧୬ ହାତ ଲମ୍ବର ମାଳ,ବଡଭାଇ ବଳଭଦ୍ରଙ୍କ ପାଇଁ ୧୪ହାତ ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ୧୨ହାତ ଲମ୍ବର ମାଳ ଶ୍ରୀମନ୍ଦିରକୁ ବଡ ଓଡ଼ିଆ ମଠ ତରଫରୁ ପ୍ରଦାନ କରାଯାଇଥାଏ ।
