ସାବଧାନ ! ହ୍ବାଟ୍ସଆପରେ ଅଜଣା ଲିଙ୍କ୍ ଆସିଲେ କ୍ଲିକ୍ କରନ୍ତୁନି  

ପୁରୀ ସର୍ବୋଦୟ ନଗରର ମୃତ୍ୟୁଞ୍ଜୟ ତ୍ରିପାଠୀ ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି । ତାଙ୍କ ମୋବାଇଲକୁ ହ୍ବାଟ୍ସଆପ୍ ଯୋଗେ ଏକ ମେସେଜ ଆସିଥିଲା । ମେସେଜ ଯୋଗେ ଆସିଥିବା ଆପ୍ ଖୋଲିବାରୁ ତାଙ୍କ ଫୋନ୍ ଓ ବ୍ୟାଙ୍କର ସମସ୍ତ ବିବରଣୀ ସାଇବର ଠକ ପାଖକୁ ପଳାଇଥିଲା ।

ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ  ୧,୬୨,୦୦୦ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପ ଲାଇନ ୧୯୩୦ ରେ ଅଭିଯୋଗ କରିବା ସହ ସାଇବର ଥାନାରେ ଅଭିଯୋଗ କରିଥିଲେ ମୃତ୍ୟୁଞ୍ଜୟ ।

ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସମୟରେ ବଲାଙ୍ଗୀର କଣ୍ଟାବାଞ୍ଜିର କାର୍ତ୍ତିକ ହାତୀ ତାର ଜଣେ ସହଯୋଗୀ ସହ ଏହି ସାଇବର ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରାଯିବା ସହ ତା ଠାରୁ ଏକ ମୋବାଇଲ ଫୋନ୍ ଜବତ ହୋଇଛି । ତା ନାଁରେ ପଶ୍ଚିମବଙ୍ଗ ଆସାନସୋଲ ସମେତ ବିଭିନ୍ନ ଥାନାରେ ଏକାଧିକ ସାଇବର ଠକେଇ ମାମଲା ରହିଛି । କାର୍ତ୍ତିକର ସହଯୋଗୀଙ୍କୁ ମଧ୍ୟ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଏସପି କହିଛନ୍ତି ।

ଅଧିକ ପଢନ୍ତୁ