ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ ଥିବା ପନାସ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ମୃତ୍ୟୁକୁ ଆଲିଙ୍ଗନ କରିବା ପୂର୍ବରୁ ହାତ ଯୋଡ଼ି ପ୍ରାର୍ଥନା କରୁଥିବାର ଦେଖାଯାଇଛି।
ରିପୋର୍ଟ ଅନୁସାରେ, ସୁନୀଲ ସଦାରଙ୍ଗାନି ଗତକାଲି ଅପରାହ୍ନରେ ବିଜୟପୁର ରୋଡରେ ଥିବା ପନାଶ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେ ଲିଫ୍ଟ ବଦଳରେ ସିଡ଼ି ମାଧ୍ୟମରେ ୧୭ ମହଲାକୁ ଯାଇଥିଲେ। ତାଙ୍କୁ ହାତ ଯୋଡ଼ି ଛାତ ଉପରେ ଠିଆ ହୋଇଥିବା ଦେଖି ତଳେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କୁ ଖବର ଦେଇଥିଲେ।ସୂଚନା ପାଇବା ମାତ୍ରେ, ସୁରକ୍ଷା କର୍ମୀ ତୁରନ୍ତ ଉପର ମହଲାକୁ ଯାଇ ସଦାରଙ୍ଗାନିଙ୍କୁ ତଳକୁ ଆସିବାକୁ ବୁଝାଇଥିଲେ। କିନ୍ତୁ ତଳକୁ ଆସିବା ପରେ, ସଦାରଙ୍ଗାନି ସୁରକ୍ଷା କର୍ମୀଙ୍କୁ ତାଙ୍କର ଚାବି ଉପର ମହଲାରେ ଛାଡି ଦେଇଛନ୍ତି ବୋଲି ମିଛ କହିଥିଲେ । ଚାବି ଆଣିବାର ଅଭିନୟ କରି, ସେ ପୁଣି ୧୭ତମ ମହଲାକୁ ଫେରି ଯାଇଥିଲେ । ତାପରେ ସେଠାରୁ ଡେଇଁ ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଛି ।ଘଟଣା ବିଷୟରେ ପୋଲିସ ସୂଚନା ପାଇ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ଏଯାବତ ଆତ୍ମହତ୍ୟା ପଛର ସଠିକ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।
