ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ କରିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶୀର୍ଷ ଅଦାଲତ। ଏହା ସହିତ ୩୦ ସପ୍ତାହର ଗର୍ଭପାତ ପାଇଁ ଯୁବତୀଙ୍କୁ ଅନୁମତି ମିଳିଛି। ଜଣେ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।ବିଚାରପତି ବିଭି ନାଗାରତ୍ନ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କହିଛନ୍ତି, ଜଣେ ନାବାଳିକା ଗର୍ଭଧାରଣ ଜାରି ରଖିବେ କି ନାହିଁ ଓ ସନ୍ତାନକୁ ଜନ୍ମଦେବେ କି ନାହିଁ ତାହା ପୀଡ଼ିତାଙ୍କ ସତ୍ତ୍ବାଧିକାର ଉପରେ ନିର୍ଭରଶୀଳ । ସେହିପରି ଗର୍ଭଧାରଣ ଜାରି ରହିଲେ ମା’ କିମ୍ବା ଶିଶୁର କୌଣସି କ୍ଷତି ନାହିଁ ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା ।

ଯାହାର ବିଚାର କରି ମେଡିକାଲ ବୋର୍ଡକୁ ମଧ୍ୟ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ନାବାଳିକା ଗର୍ଭବତୀଙ୍କ ସତ୍ତ୍ବାଧିକାରକୁ ସମ୍ମାନ ଦିଆଯିବା ଉଚିତ । ତେବେ ପୂର୍ବରୁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (MTP) ଆକ୍ଟ, ୨୦୨୧ ଅନୁଯାୟୀ ଗର୍ଭପାତ ଆଇନ ଅନୁଯାୟୀ ବୈଧ ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, “ଏଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଆମେ କାହା ସ୍ୱାର୍ଥ ଦେଖିବା? ଏକ ଅଜନ୍ମା ଶିଶୁର ନା ସେହି ମା’ର ଯିଏ ଶିଶୁଟିକୁ ଜନ୍ମ ଦେବ? ମା’ର ପ୍ରଜନନ ସ୍ଵାଧୀନତାକୁ ସବୁବେଳେ ପ୍ରାଧାନ୍ୟ ଦିଆଯିବା ଉଚିତ।”ଜଷ୍ଟିସ୍ ନାଗରତ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୋର୍ଟ ଏଭଳି କଠିନ ସମୟରେ ସହାୟତା ନକରିବେ, ତେବେ ଅସହାୟ ମହିଳାମାନେ ଅଣଅନୁମୋଦିତ ଡାକ୍ତର ବା ଅଣକୁଶଳୀ ବ୍ୟକ୍ତିଙ୍କ ପାଖକୁ ଗର୍ଭପାତ ପାଇଁ ଯାଇ ନିଜ ଜୀବନ ବିପଦରେ ପକାଇବେ।ଭାରତୀୟ ଆଇନ ଅନୁସାରେ ଗର୍ଭପାତ ପାଇଁ କିଛି ନିର୍ଦ୍ଦିଷ୍ଟ ସୀମା ରହିଛି। ୨୦ ସପ୍ତାହ ପର୍ଯ୍ୟନ୍ତ ଜଣେ ମହିଳା ନିଜ ନିଷ୍ପତ୍ତିରେ ଗର୍ଭପାତ କରିପାରିବେ। ୨୦ ରୁ ୨୪ ସପ୍ତାହ ହୋଇଥିଲେ ଏଥିପାଇଁ ମେଡିକାଲ୍ ବୋର୍ଡର ପରାମର୍ଶ ଆବଶ୍ୟକ। ୨୪ ସପ୍ତାହ ପରେ କେବଳ କୋର୍ଟଙ୍କ ଅନୁମତି କ୍ରମେ ହିଁ ଗର୍ଭପାତ କରାଯାଇପାରିବ।

ଅଧିକ ପଢନ୍ତୁ