ନୟାଗଡ଼: ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ମୁନିସିପାଲିଟି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା ପାଇଁ ଫାୟାର ଫାଇଟିଂ , ସ୍ନେକ ହେଲ୍ପଲାଇନ୍, ଫାଷ୍ଟ ଏଡ୍ ଏବଂ ସେଲ୍ଫ ଡିଫେନ୍ସ ସହ ମ୍ୟାଜିକ ସୋ ଆଦି ପ୍ରଦର୍ଶିତ ହୋଇଥିଲା।

ନୟାଗଡ଼ ର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ନୟାଗଡ଼ ଜିଲ୍ଲା ପୋଲିସ୍ ର ଏହି କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋଲିସ୍ ପ୍ରଶିକ୍ଷଣ ବିଦ୍ୟାଳୟ ର ଅଧ୍ୟକ୍ଷ ଭବେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଏ ସି ଏଫ୍ ଓ ହିମାଂଶୁ ମୁଦୁଲି ଯୋଗଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ ଏଥିରେ ସଭାପତିତ୍ୱ କରିଥିଲେ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ। ଉଦଯାପନୀ ସମାରୋହରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ଏବଂ ଶରତ ଚନ୍ଦ୍ର ଆଚାର୍ଯ୍ୟ।
