ମଲା କୁକୁର ଦେଲା ନୂଆ ଜୀବନ ଦାନ… ଆତ୍ମହତ୍ୟା ଉଦ୍ୟମ କରି ନଦୀକୁ ଡେଇଁ ପଡିଲେ ଛାତ୍ରୀ । ଗଜପତି ଜିଲ୍ଲାରେ ବିଦ୍ୟାଳୟରୁ ଫେରୁଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ନିଜ ୟୁନିଫର୍ମ ଓ ସ୍କୁଲ ବ୍ୟାଗ୍ ସହ ମହେନ୍ଦ୍ରତନୟା ନଦୀ ବ୍ରିଜ ଉପରୁ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ବ୍ରିଜରୁ ତଳେ ପଡ଼ିବା ସମୟରେ ଏକ କୁକୁରର ମୃତଦେହ ଭର୍ତ୍ତି ବସ୍ତା ରହିଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ । ହୁଏତ ସେଠାରେ ସେହି ବସ୍ତା ନଥିଲେ ଛାତ୍ରୀ ସିଧାସଳଖ ଚଟାଣରେ ପଡ଼ିଥାନ୍ତେ ଓ ମୃତ୍ୟୁବରଣ କରିଥାନ୍ତେ ।ଛାତ୍ରୀଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଉଁ କାରଣକୁ ନେଇ ନବମ ଶ୍ରେଣୀ ଛାତ୍ରୀ ଏପରି ଚରମ ପଦକ୍ଷେପ ନେଲେ ସେନେଇ ତନାଘନା ଆରମ୍ଭ କରିଛି ପୋଲିସ ।
