
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ନୟାଗଡ଼ ଟାଉନ ରେଳ ଷ୍ଟେସନ। କେତେବେଳେ ଷ୍ଟ୍ରିଟ ଆଲୁଅ ଜଳୁନି ତ କେତେବେଳେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ ରେଳ ଷ୍ଟେସନରେ ଥିବା ବିଭିନ୍ନ ପାଇଖାନା ଟାଙ୍କି ଗୁଡ଼ିକର ସୋକପିଟ ଗୁଡ଼ିକ ଫାଟି ସେଥିରୁ ବାହାରୁ ଥିବା ମଇଳା ପାଣି ଚାରିଆଡେ ମାଡ଼ୁଥିବା ଯୋଗୁଁ ଏହାର ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ବିଶେଷ କରି ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ତଥା ବାଇକ ଷ୍ଟାଣ୍ଡ ନିକଟରେ ଏହି ମଇଳା ପାଣି ଜମା ହୋଇ ରହିବା ଫଳରେ ଏହି ପାର୍ଶ୍ଵ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଅଶ୍ୱସ୍ତିକର ପରିବେଶର ସମ୍ମୁଖୀନ ହେଉଛନ୍ତି।

ଅନ୍ୟ ପକ୍ଷରେ ମଇଳା ପାଣିର ଦୁର୍ଗନ୍ଧ ଯୋଗୁଁ ସମଗ୍ର ଷ୍ଟେସନ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି। ଏଠାରୁ ଯାତ୍ରୀମାନେ ପ୍ରତ୍ୟହ ସକାଳୁ ଭୁବନେଶ୍ୱର ଏବଂ ପୁରୀକୁ ଯାତ୍ରା କରିଥାନ୍ତି। ବିଶେଷ କରି ସକାଳୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ଯାତ୍ରୀମାନେ ଏହି ମଇଳା ପାଣିକୁ ଗୋଡ଼ରେ ମାଡ଼ି ନିଜକୁ ଅପବିତ୍ର ମଣିବା ସହିତ ପ୍ରବଳ କ୍ଷୋଭ ପ୍ରକାଶ କରୁଛନ୍ତି। ସେହିପରି ଷ୍ଟେସନ ପରିସରର ବିଭିନ୍ନ ଜାଗାରେ ଅଳିଆ ଆବର୍ଜନା ଜମା ହୋଇ ପଡ଼ିଥିବା ବେଳେ ଦୁର୍ଗନ୍ଧ ଯୁକ୍ତ ମଇଳା ପାଣି ଯୋଗୁଁ ମଶା,ମାଛି, ମୂଷା,ଅସରପା ଆଦିଙ୍କ ପାଦୁର୍ଭାବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତା’ଛଡ଼ା ଷ୍ଟେସନର ବିଭିନ୍ନ ସ୍ଥାନରେ ଅନାବନା ଗଛଲତା, କଣ୍ଟାବୁଦା ଆଦି ଥିବାରୁ ଏହା ମଧ୍ୟରେ ସାପ ବିଛାଙ୍କ ଠୁ ଆରମ୍ଭ କରି ବିଷାକ୍ତ ସରୀସୃପ ଜାତୀୟ ପ୍ରାଣୀ ମାନେ ଆସ୍ଥାନ ଜମାଇ ରହିଛନ୍ତି। ରାତ୍ରିରେ ଫେରୁଥିବା ଯାତ୍ରୀମାନେ ଏହି ବାଟ ଦେଇ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ରେଳ ଷ୍ଟେସନ ପରିସରକୁ ପରିଷ୍କାର ତଥା ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ବେଳେ ରେଳ ବିଭାଗ ଏଥିପ୍ରତି ବେପରୁଆ ମନୋଭାବ ପୋଷଣ କରିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ତେବେ ଯଥା ଶୀଘ୍ର ଷ୍ଟେସନ ପରିସରକୁ ଅଳିଆ ଆବର୍ଜନା ମୁକ୍ତ ତଥା ସୋକ ପିଟ ଗୁଡ଼ିକୁ ତୁରନ୍ତ ମରାମତି କରି ପରିବେଶକୁ ସଫା ସୁତୁରା ରଖିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳବିଭାଗ ନିକଟରେ ଦାବି କରାଯାଇଛି।
