ଆଜି ହେଉଛି ଭାଲେଣ୍ଟାଇନ ଡେ’।ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ ।ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, କିନ୍ତୁ ସବୁଠାରୁ ପ୍ରସିଦ୍ଧ କାହାଣୀଟି ତୃତୀୟ ଶତାବ୍ଦୀର ରୋମ ସହିତ ଜଡିତ। ରୋମ ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟ ବିଶ୍ୱାସ କରୁଥିଲେ ଯେ ବିବାହ ସୈନିକମାନଙ୍କୁ ଦୁର୍ବଳ କରିଥାଏ, ତେଣୁ ସେ କମ୍ ବୟସର ସୈନିକମାନଙ୍କର ବିବାହକୁ ନିଷେଧ କରିଥିଲେ। କିନ୍ତୁ ସନ୍ଥ ଭାଲେଣ୍ଟାଇନ୍ ରାଜାଙ୍କ ଆଦେଶକୁ ଅବମାନନା କରି ଗୁପ୍ତ ଭାବରେ ଅନେକ ସୈନିକଙ୍କୁ ବିବାହ କରାଇଥିଲେ । ଯେତେବେଳେ ରାଜା ଏହା ଜାଣିପାରିଲେ, ସେ ଫେବୃଆରୀ ୧୪ ତାରିଖରେ ସନ୍ଥ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦେଲେ। କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନଙ୍କୁ ଯେଉଁ ଜେଲରେ ବନ୍ଦୀ କରାଯାଇଥିଲା, ସେହି ଜେଲରଙ୍କ ଝିଅକୁ ସେ ପ୍ରେମ କରି ବସିଥିଲେ । ତାଙ୍କୁ ଫାଶୀ ହେବା ପୂର୍ବରୁ, ସନ୍ଥ ଭାଲେଣ୍ଟାଇନ ଜେଲରଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ “ତୁମର ଭାଲେଣ୍ଟାଇନ” ଲେଖିଥିଲେ । ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା । ଏବଂ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ ଆରମ୍ଭ ହେଲା ।ରୋମାନ୍ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।
