ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ। ଏହି ସମ୍ମିଳନୀ ଯୁବକଙ୍କ ସାମର୍ଥ୍ୟକୁ ଦର୍ଶାଉଛି। ଏହି ଏଆଇ ଇମ୍ପାକ୍ଟ ସମ୍ମିଳନୀ ପାଇଁ ସମଗ୍ର ବିଶ୍ବରୁ ଲୋକ ଭାରତକୁ ଆସୁଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ପ୍ରଭାବ ଏକ୍ସପୋ ୨୦୨୬ ଉଦଘାଟନ କରିବେ। ଅନ୍ୟ ଏକ ପୋଷ୍ଟରେ ମୋଦୀ ଲେଖିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସର୍ବଜନ ହିତାୟ, ସର୍ବଜନ ସୁଖାୟ। ସମସ୍ତଙ୍କ କଲ୍ୟାଣ ଓ ସମସ୍ତଙ୍କ ଖୁସି ପରି ମାନବ-କୈନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଆଇ ପ୍ରଭାବ ସମ୍ମିଳନୀ ଏଆଇର ବିବିଧ ଦିଗ, ଯେପରିକି ନବସୃଜନ, ସହଯୋଗ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ବିଶ୍ୱସ୍ତରୀୟ ଆଲୋଚନାକୁ ସମୃଦ୍ଧ କରିବ। ତେବେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ-୨୦୨୬ ଫେବ୍ରୁଆରୀ ୧୬ରୁ ଫେବ୍ରୁଆରୀ ୨୦ ଯାଏ ୫ ଦିନ ଧରି ଚାଲିବ ।
ଏଥିରେ ସରକାର, ଷ୍ଟାର୍ଟଅପ୍, ଗ୍ଲୋବାଲ ଟେକ୍ କମ୍ପାନୀ ଏବଂ ରିସର୍ଚ୍ଚ ଅନୁଷ୍ଠାନଗୁଡ଼ିକ ଗୋଟିଏ ମଞ୍ଚରେ ନଜର ଆସିବେ । ୭୦ ହଜାର ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ହେବାକୁ ଥିବା ଏହି ଆୟୋଜନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପପତି, ଷ୍ଟାର୍ଟଅପ୍ ଏବଂ ଅନ୍ତର୍ଜାତୀୟ ପାର୍ଟନର୍ସ ଉପସ୍ଥିତ ରହିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କିପରି ସାଧାରଣ ନାଗରିକଙ୍କ ଜୀବନ ସହ ଜଡ଼ିତ ତାହା ଏହି ଆୟୋଜନ ଦ୍ୱାରା ଦେଖିବାକୁ ମିଳିବ ।
